Take a fresh look at your lifestyle.

କୋଟିଆ କଳିର ଅନ୍ତ କେବେ ?

0 736

Get real time updates directly on you device, subscribe now.

କୋରାପୁଟ: ବଣ ପାହାଡ଼ ଘେରା, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କୋରାପୁଟ ଜିଲ୍ଲା। ସତେ ଯେପରି ପ୍ରକୃତି ରାଣୀ ଏହିଠାରେ ହିଁ ନିଜର ଘର କରିନେଇଛି। ତେବେ ଏହି ସୌନ୍ଦର୍ଯ୍ୟରେ ଭରପୁର କୋରାପୁଟ ଜିଲ୍ଲା ଏବେ କିନ୍ତୁ ଚର୍ଚ୍ଚାରେ ରହି ଆସୁଛି, ତାହା ପୁଣି ପଡ଼ୋଶୀ ଆନ୍ଧ୍ରର କାର୍ଯ୍ୟକଳାପ ଯୋଗୁଁ। ଆନ୍ଧ୍ରର ସୀମାକୁ ଲାଗିଥିବା କୋଟିଆ ପଞ୍ଚାୟତର ଗାଁକୁ ନେଇ କୋରାପୁଟ ଚର୍ଚ୍ଚାରେ। କୋଟିଆକୁ ନିଜର କହୁଥିବା ବେଳେ ଗତକାଲି ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ବଣଭୋଜି ନାଁରେ ପଇଁତରା ମାରିଛନ୍ତି। ଜିଲ୍ଲାପାଳଙ୍କ ସହିତ ପ୍ରଶାସନିକ ଅଧିକାରୀ ଦେଓମାଳି, କୁନ୍ଦୁଲି ଓ କୋଟିଆ ପଞ୍ଚାୟତରେ ପଇଁତରା ମାରିଛନ୍ତି। ଯାହାକୁ ନେଇ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚା…

ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ସୀମା ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି। ନିକଟରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(ଓଡ଼ିଶା) ଓ ଓ୍ୱାଇଏସ ଜଗନମୋହନ ରେଡ୍ଡୀ (ଆନ୍ଧ୍ରପ୍ରଦେଶ) ଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଭୁବନେଶ୍ବରରେ ଆୟୋଜିତ ହୋଇଥିଲା। ଆଲୋଚନା ପାଇଁ ଭୁବନେଶ୍ବର ଆସିଥିଲେ ଜଗନମୋହନ। ସୀମା ବିବାଦର ସମାଧାନ ଦାୟିତ୍ବ ମୁଖ୍ୟ ଶାସନ ସଚିବଙ୍କୁ ଦେଇଥିଲେ। ଆପୋଷ ବୁଝାମଣା ମଧ୍ୟରେ ଏହି ବିବାଦର ସମାଧାର କରାଯିବା ନେଇ ଉଭୟ ମୁଖ୍ୟମନ୍ତ୍ରୀ ଆଲୋଚନା ପରେ ଗଣମାଧ୍ୟମରେ ପ୍ରକାଶ କରିଥିଲେ। ତେବେ ଏହି ବୈଠକର କିଛି ଦିନ ନ ପୁରୁଣୁ କୋରାପୁଟରେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀଙ୍କ ପଇଁତରା ମାରିବା ବର୍ତ୍ତମାନ ଆଲୋଚନାର ପରିସର ମଧ୍ୟକୁ ଆସିଛି।

ପିକନିକ କରିବା ବାହାନାରେ ଆସି ରାଜ୍ୟର ସର୍ବୋଚ୍ଚ ପର୍ବତ ଦେଓମାଳିରେ ବୁଲିବା, କୋଟିଆକୁ ମୁହାଁଇବା ଘଟଣା ସାଧାରଣରେ ବେଶ ଚର୍ଚ୍ଚା ପାଲଟିଛି। ତେବେ ଆନ୍ଧ୍ରରୁ ଦଳବଳ ଧରି ସୀମାନ୍ତ ଓଡ଼ିଶାର ଦେଓମାଳି ପର୍ବତରେ ବିଜୟନଗରମ୍ ଜିଲ୍ଲାପାଳ । ୧୫ଟି ସରକାରୀ ଗାଡ଼ିରେ ବିରାଟ ପଟୁଆର ଧରି ପହଞ୍ଚିଥିଲେ ଜିଲ୍ଲାପାଳଙ୍କ ସମେତ ସମଗ୍ର ଜିଲ୍ଲା ପ୍ରଶାସନିକ ଅଧିକାରୀ । ଗତକାଲି ଦିନ ପ୍ରାୟ ୧୧ଟାରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଅଧିକାରୀମାନେ ବୁଲିଲେ, ଭୋଜିଭାତ କଲେ, ଖିଆପିଆ ସାରି ପୁଣି ବାହୁଡ଼ିଥିଲେ। ଏସବୁ ଭିତରେ କିନ୍ତୁ ଆନ୍ଧ୍ରପ୍ରଦେଶ ବିଜୟନଗରମ୍ ଜିଲ୍ଲାପାଳଙ୍କ ଗତିବିଧିକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । କାରଣ କୋରାପୁଟ ଜିଲ୍ଲା କୁନ୍ଦୁଲିରୁ ଏହି ଗାଡି ଗୁଡିକ କୋଟିଆ ଆଡକୁ ମୁହାଇଥିଲା। ପରେ ସମସ୍ତ ସରକାରୀ ଗାଡ଼ି ମଝି ରାସ୍ତାରେ ଦେଓମାଳି ଆଡକୁ ମୁହାଁଇଥିଲା । ଏଭଳି ଗତିବିଧି ଉପରେ କଡ଼ା ନଜର ରଖିଥିଲେ ସ୍ଥାନୀୟ ଲୋକେ ଓ କୋରାପୁଟ୍ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ।

କୋଟିଆର ଭୌଗୋଳିକ ସ୍ଥିତି
ବଣପାହାଡ଼ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କୋରାପୁଟ ଜିଲ୍ଲାରେ ରହିଛି କୋଟିଆ ପଞ୍ଚାୟତ। ପ୍ରାୟ ୬ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ପଞ୍ଚାୟତରେ ରହିଛି ୨୮ଟି ଗାଁ । ତେବେ ଆନ୍ଧ୍ର ଓ ଓଡ଼ିଶା ସୀମାରେ ରହିଛି ୨୧ଟି ଗାଁ । ଯାହା ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ରହିଛି। ବିଭିନ୍ନ ପ୍ରକାର ଲୋକମାନଙ୍କୁ ଲୋଭନୀୟ ଯୋଜନା ମାଧ୍ୟମରେ ତାଙ୍କୁ ସୁବିଧା ଯୋଗାଇ ଦେଉଛି। ଓଡ଼ିଶା ସରକାରଙ୍କ ଯୋଜନା ଠାରୁ ଢେର ଅଧିକ ଲୋଭନୀୟ ଯୋଜନା ଦେଖାଇ ସୁବିଧା ଯୋଗାଇ ଦେଉଛି। ବାର୍ଦ୍ଧକ୍ୟ ଭତ୍ତା, ଦିବ୍ୟାଙ୍ଗ ଯୋଜନା, ଭିନ୍ନକ୍ଷମ ଭତ୍ତା ଅଟୋ ଚାଳକଙ୍କୁ ବାହନ ମିତ୍ର ଯୋଜନା ଭଳି ଯୋଜନାରେ ଆର୍ଥିକ ସୁବିଧା ଯୋଗାଇ ଦେଇ କୋଟିଆ ଉପରେ ଲୋଲୁପ ଦୃଷ୍ଟି ପକାଇଛି ପଡ଼ୋଶୀ।

କେବେଠାରୁ ଏହି ବିବାଦ
କୋଟିଆ ବିବାଦ ଆଜିର ନୁହେଁ, କିମ୍ବା ବର୍ଷେ ଦୁଇ ବର୍ଷର ନୁହେଁ। ୪ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଏହି ବିବାଦ ଲାଗି ରହିଛି। କିନ୍ତୁ ତେଲଙ୍ଗାନା ବିଭାଜନ ପରେ ବିବାଦ ଉଗ୍ର ରୂପ ନେବାରେ ଲାଗିଛି। ଇତିହାସର ପୃଷ୍ଠାକୁ ଲେଉଟାଇଲେ ୧୯୪୨ ମସିହାରୁ ଏହି ବିବାଦ ଜନ୍ମ ନେଇଥିବା ଜଣାପଡ଼େ। ୧୯୩୬ ମସିହା ଏପ୍ରିଲ ୧ ପୂର୍ବରୁ କୋଟିଆ ପଞ୍ଚାୟତ ଜୟପୁର ଇଷ୍ଟେଟ ଅଧିନରେ ରହିଥିଲା। ଭାଷା ଭିତ୍ତିକ ରାଜ୍ୟ ଗଠନ ପାଇଁ ୧୯ ମାର୍ଚ୍ଚ ୧୯୩୬ରେ ଗେଜେଟ ନୋଟିଫିକେସନ ହୋଇଥିଲା। ୧୯୪୨ ମସିହାରେ ଓଡ଼ିଶା, ବିହାର ଓ ମଧ୍ୟପ୍ରଦେଶର ଯୁଗ୍ମ ସର୍ଭେରେ ପଟାଙ୍ଗୀ ବ୍ଲକର କୋଟିଆ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ତୁରିଆ, ବାରବନ୍ଧ, ତଳକାଣ୍ଟି, ଗୁମେଲପଦର, ମାଥାଲମ୍ବା, ଶୁଳିଆମାରି ଏବଂ କାତ୍ରାଗୁଡ଼ା ରାଜସ୍ବ ଗ୍ରାମ ଭାବେ ରହିଥିବା ରେକର୍ଡ କରାଯାଇଥିବା ଜଣାପଡ଼େ। କୋଟିଆ ଗ୍ରାମ ପଞ୍ଚାୟତ ଅଧିନରେ ୨୮ଟି ରାଜସ୍ବ ଗ୍ରାମ ରହିଥିବା ବେଳେ ତାହା ସେହି ସମୟରେ ସର୍ଭେ ହୋଇ ନଥିଲା । ସେହିପରି୧୯୫୫ରେ ଆନ୍ଧ୍ର ପ୍ରଦେଶ ରାଜ୍ୟ ଗଠନ ବେଳେ ମଧ୍ୟ ଉକ୍ତ ଗ୍ରାମର ସର୍ଭେ ହୋଇନଥିଲା। ସେବେଠାରୁ ଏହି କୋଟିଆ ପଞ୍ଚାୟତ ବିବାଦୀୟ ହୋଇ ରହିଛି। ଏନେଇ ଉଭୟ ସରକାର ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ସମାଧାନ ପନ୍ଥା ବାହାରି ପାରିନଥିଲା।

କୋଟିଆ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି କାହିଁକି ?
ଆମ ରାଜ୍ୟ ଏକ ଖଣି ବହୁଳ ରାଜ୍ୟ । ବିଶେଷ କରି ଦକ୍ଷିଣାଞ୍ଚଳରେ ବହୁ ଖଣି ଭରି ରହିଛି। କୋରାପୁଟ ରାୟଗଡ଼ାରେ ମଧ୍ୟ ଖଣି ରହିଛି। କୋଟିଆ ଓ ଦେଓମାଳି ଖଣିପ୍ରବଣ ଅ଼ଞ୍ଚଳ। କୋରାପୁଟରେ ରହିଥିବା ଏହି ଖଣି ଅଞ୍ଚଳରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ରହିଥିବା ଆଲୋଚନା ହୁଏ। ଆନ୍ଧ୍ର ଠାରୁ ତେଲଙ୍ଗାନା ବିଭାଜନ ହୋଇଯିବା ପରେ ଆନ୍ଧ୍ରର ଓଡ଼ିଶାର ଏହି କୋଟିଆ ଉପରେ ଲୋଲୂପ ଦୃଷ୍ଟି ପକାଇଥିବା ଆଲୋଚନା ହୁଏ। କୋରାପୁଟର ଏହି ଅଞ୍ଚଳକୁ କବଜା କରିବା ପାଇଁ ଆନ୍ଧ୍ର ଏଠାରେ ବିଭିନ୍ନ ଯୋଜନାକୁ ଲାଗୁ କରିବା, ନିର୍ବାଚନ କରିବା, ପ୍ୟାକେଜ ଘୋଷଣା କରିବା, ପ୍ରଶାସନିକ ଅଧିକାରୀଙ୍କ ବାରମ୍ବାର ସନ୍ଦେହାତ୍ମକ ଗସ୍ତ କରୁଥିବା ଆଲୋଚନା ହୁଏ। ତେବେ ଓଡ଼ିଶାର ସୀମାବର୍ତ୍ତି ବିବାଦୀୟ ଅଞ୍ଚଳ ଉପରେ ଏହି ଲୋଲୁପ ଦୃଷ୍ଟି ପକାଇଥିବା ରାଜ୍ୟବ୍ୟାପି ଆଲୋଚନା ହୁଏ।

କଣ ଏହି କୋଟିଆ ବିବାଦ
ଇତିହାସ ଖୋଜିଲେ ଏହି ବିବାଦର ସୂତା ଖିଅ ରାଜ୍ୟ ବିଭାଜନରୁ ଜନ୍ମ ନେଇଥିବା ଜଣାପଡ଼େ। ୧୯୫୫ରେ ମାଡ୍ରାସ ପ୍ରେସିଡେନ୍ସିରୁ ଆନ୍ଧ୍ରପ୍ରଦେଶ ବିଭାଜିତ ହେବା ବେଳେ ପ୍ରାଥମିକ ଭାବେ କୋଟିଆ ଅଞ୍ଚଳ ପାଇଁ ଆନ୍ଧ୍ର ଆଗ୍ରହ ପ୍ରକାଶ କରିନଥିବା ଜଣାପଡ଼େ। ପରବର୍ତ୍ତି ମୂହୁର୍ତ୍ତରେ ୧୯୬୨-୬୩ ମସିହାରେ ଉକ୍ତ ଅଞ୍ଚଳରେ ଖଣିପ୍ରବଣ (ପ୍ରଚୂର ପରିମାଣରେ ଚୂନ, ପ୍ଲାଟିନମ, ବକ୍ସାଇଟ, ମାଙ୍ଗାନିଜ, ଗ୍ରାଫାଇଟ ଓ ଲାଇମଷ୍ଟୋନ) ରହିଥିବା ଆନ୍ଧ୍ର ଜାଣିବାକୁ ପାଇଥିଲା। ପରେ ଉକ୍ତ ଅଞ୍ଚଳକୁ ନିଜ କ୍ଷମତାକୁ ନେବା ପାଇଁ ପ୍ରୟାସ ଆରମ୍ଭ କରନ୍ତି ଆନ୍ଧ୍ର ସରକାର। ୧୯୬୪ ମସିହାରେ ପଟାଙ୍ଗୀ ବିଡ଼ିଓ ତହସିଲଦାର ଆନ୍ଧ୍ରର ଏହି ଚକ୍ରାନ୍ତ ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ଫଳରେ ଓଡ଼ିଶା ସରକାର ସେଠାରେ ପୁଲିସ ମୁତୟନ କରିଥିଲେ। ଜବାବରେ ଆନ୍ଧ୍ର ପକ୍ଷରୁ ମଧ୍ୟ ସେଠାରେ ପୁଲିସ ମୁତୟନ କରାଯାଇଥିଲା। ଏପରିକି ଆନ୍ଧ୍ର ସେଠାରେ ତିନି ଜଣ ସରପଞ୍ଚଙ୍କୁ ମଧ୍ୟ ମନୋନୀତ କରିଥିବା ଜଣାପଡ଼େ।

ଫଳରେ ଓଡ଼ିଶା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଦ୍ଦେଶ୍ୟରେ ଆନ୍ଧ୍ରର ଏହି ବେଆଇନ ପଦକ୍ଷେପକୁ ପ୍ରତିବାଦ କରି ଓଡ଼ିଶା ଉଚ୍ଚନ୍ୟାୟାଳୟରେ ମାମଲା ରୁଜୁ କରି ୨୧ଟି ଗ୍ରାମ ଉପରେ ନିଜର ଅଧିକାର ସାବ୍ୟସ୍ତ କରେ। ପରେ ୧୯୮୮ ମସିହାରେ ଏହା ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଅସ୍ଥାୟୀ ସ୍ଥଗିତାଦେଶ ଦେବା ସହିତ କୋରପୁଟ ଜିଲ୍ଲା ଜଜଙ୍କୁ କମିଶନର ଭାବେ ନିଯୁକ୍ତି କରି ଆବଶ୍ୟକ ପ୍ରମାଣପତ୍ର ଯୋଗାଡ଼ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୦୦ ମସିହାରେ କୋରାପୁଟ କମିଶନର ତଥା ଜଜ ଆବଶ୍ୟକ ଦଲିଲ ଦାଖଲ କରିବା ପରେ ସର୍ବୋଚ୍ଚ ନ୍ୟାୟାଳୟ ନିଜ ଆଦେଶରେ ରାଜ୍ୟ ସୀମା ବିବାଦ ତାଙ୍କ ପରିସରଭୁକ୍ତ ନଥିବା ଓ ଏହା ସଂସଦ ଦ୍ବାରା ସମ୍ଭବ ବୋଲି କହିଥିଲେ। ବିବାଦର ସମାଧାନ ବାହାରି ପାରିନଥିବା ବେଳେ ଆନ୍ଧ୍ର ବଳପୂର୍ବକ ନିଜ ଅଭିଯାନ ଜାରି ରଖିଛି। ସେବେଠାରୁ ଏହି ବିବାଦ ଝୁଲି ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.