Take a fresh look at your lifestyle.

Farmer Protest: ବର୍ଷକର କ୍ଷତି ଭରିବ କିଏ ?

0 781

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ସହିତ ଗୁରୁ ନାନକ ଜୟନ୍ତୀ ମଧ୍ୟ । ତେବେ ଆଜି ଭଳି ଏହି ପବିତ୍ର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବାଦୀୟ ୩ଟି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। କେଉଁ ପ୍ରସଙ୍ଗରେ ମୋଦି ଏହା କରିଛନ୍ତି, ସେ ନେଇ କୌଣସି ସ୍ପଷ୍ଟ କାରଣ ସାମ୍ନାକୁ ଆସିନଥିଲେ ମଧ୍ୟ ଅବୁଝା କୃଷକଙ୍କୁ ମୋଦି ଠିକରେ ବୁଝାଇ ପାରିନଥିବା ନିଜ ବାର୍ତ୍ତାରେ କହିଛନ୍ତି। ସେପଟେ କିନ୍ତୁ ମୋଦିଙ୍କ ଏହି ନିଷ୍ପତ୍ତିକୁ ନେଇ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ସୋସିଆଲ ମିଡ଼ିଆରେ ଏନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖାଦେଇଛି।

ମୋଦି ହଠାତ ଏହାକୁ କାହିଁକି ପ୍ରତ୍ୟାହାର କଲେ, ତାହା ଭିନ୍ନ ପ୍ରସଙ୍ଗ, ଆଲୋଚନା ସାପେକ୍ଷ ମଧ୍ୟ। ମାତ୍ର ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏହି ଆଇନକୁ ନେଇ ଯେଉଁ ସବୁ କ୍ଷତି ହୋଇଗଲା, ତାହାର ଭରଣା କରିବ କିଏ ? ଏହି ବିବାଦୀୟ ଆଇନକୁ ନେଇ ବିଗତ ଏକ ବର୍ଷ ମଧ୍ୟରେ ଅନେକ କ୍ଷତି ଘଟିଛି। ଶତାଧିକ ସଂଖ୍ୟାରେ ଚାଷୀଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଚାଲିଥିବା ବେଳେ ସାଧାରଣ ଲୋକେ ଅନେକ ସମସ୍ୟାର ସମ୍ମୁଖିନ ମଧ୍ୟ ହୋଇଛନ୍ତି। ଯାହାକୁ ଆମେ ସୋସିଆଲ ଲସ ଭାବେ ପରିଗଣିତ କରିପାରିବା । କେବଳ ସେତିକି ନୁହେଁ, ଦେଶକୁ ଖାଦ୍ୟ ଯୋଗାଉଥିବା କୃଷକ ବିଲକୁ ନ ଯିବା ଫଳରେ ଚାଷଜମି ମଧ୍ୟ ଶୁଖିଲା ପଡ଼ିଛି। ଏହିପରି ଅନେକ କ୍ଷତି ଖୋଜି ବସିଲେ ସାମ୍ନାକୁ ଆସିବ । ଜୀବନ ହାନି ଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ କ୍ଷତି ଦେଖିଛି ଭାରତ ବର୍ଷ ଏହି ବର୍ଷକ ମଧ୍ୟରେ। କୃଷି ଆଇନ ପ୍ରତ୍ୟାହାର କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ସବୁଠାରୁ ବଡ଼ ପ୍ରଶ୍ନ ଛିଡ଼ା ହୋଇଛି ଏହି କ୍ଷତିର ଭରଣା କରିବ କିଏ।

ଆସିବା କ୍ଷତି ପ୍ରସଂଗକୁ । ବିଗତ ଏକ ବର୍ଷ ମଧ୍ୟରେ ଯଦି ସବୁଠାରୁ କିଛି ବଡ଼ କ୍ଷତି ହୋଇଥାଏ, ତେବେ ତାହା ହେଉଛି ପାଖାପାଖି ୭୦୦ ଚାଷୀଙ୍କ ମୃତ୍ୟୁ । ମୃତ ଚାଷୀଙ୍କ ମଧ୍ୟରେ ପଞ୍ଜାବ ଚାଷୀଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଛି, ପାଖାପାଖି ୮୫ ପ୍ରତିଶତ। ପଞ୍ଜାବର କୃଷକ ସଂଗଠନ ସାମୁଖ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଆନ୍ଦୋଳନର ପ୍ରଥମ ୬ ମାସରେ ହିଁ ୪୧୫ ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିଲା । କେବଳ ଏତିକି ନୁହେଁ ୫୧ ଜଣ ହରିଆଣାର ଚାଷୀ, ୬ ଜଣ ଉତ୍ତରପ୍ରଦେଶର ଚାଷୀ ଏବଂ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡ଼ୁ ଓ ଉତ୍ତରାଖଣ୍ଡରୁ ଜଣେ ଲେଖାଏଁ ଚାଷୀଙ୍କ ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ବିଭିନ୍ନ କାରଣରୁ ହୋଇଛି । ଖୋଲା ଆକାଶ ତଳେ ଆନ୍ଦୋଳନ କରିବା କାରଣରୁ ସ୍ବାସ୍ଥ୍ୟଗତ ସମସ୍ୟା ହେଉ ଅବା ଦୁର୍ଘଟଣା ଜନିତ, କିନ୍ତୁ ମୃତ୍ୟୁ ହୋଇଛି । ରାସ୍ତା ଦୁର୍ଘଟଣା, ହତ୍ୟା, ବ୍ୟାଧିରେ ପଡ଼ି ଚାଷୀଙ୍କ ମୃତ୍ୟୁ ହୋଇଛି। କେବଳ ଚଳିତ ବର୍ଷ ଫେବୃଆରୀରୁ ମଇ ମାସ ମଧ୍ୟରେ ୨୮୦ ଚାଷୀଙ୍କ ମୃତ୍ୟୁ ହୋଇଛି । ତେବେ ଏହି କ୍ଷତିକୁ ଭରଣା କରିବ କିଏ ?

ସେପଟେ ଗତକାଲି (ଗୁରୁବାର) ପଞ୍ଜାବ ସରକାର ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ଏପରିକି ଚାଷ କାର୍ଯ୍ୟାରେ କ୍ଷତି ହୋଇଥିଲେ ଏକର ପିଛା ୧୭ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। କିନ୍ତୁ କେନ୍ଦ୍ର ସରକାର ସେଭଳି କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏହି ବିଶାଳ ଚାଷୀ ଆନ୍ଦୋଳନରେ ମୃତ୍ୟୁ ମୁଖରେ ପଡ଼ିଥିବା ଚାଷୀଙ୍କ ପାଇଁ ଦାୟିତ୍ବ କଣ ଏତିକିରେ ସରି ଯାଉଛି କି ? ଏଭଳି ପ୍ରଶ୍ନ ମଧ୍ୟ ସୋସିଆଲ ମିଡ଼ିଆରେ ଉଠୁଥିବା ଦେଖିବାକୁ ମିଳିଛି।

ଏହା ବ୍ୟତୀତ ଲାଲକିଲ୍ଲାରେ ଆନ୍ଦୋଳନରତ ଚାଷୀଙ୍କ ଭଙ୍ଗାରୁଜାରେ କୀର୍ତ୍ତିରାଜିରେ ମଧ୍ୟ କ୍ଷତି ଘଟିଛି।ଦୀର୍ଘ ବର୍ଷେ ଧରି ଆନ୍ଦୋଳନର ସମ୍ମୁଖିନ ହେଉଥିବା ସାଧାରଣ ନାଗରିକଟିଏର ମୌଳିକ ଅଧିକାର କ୍ଷତି, ଏସମସ୍ତ ପ୍ରସଙ୍ଗର ଗୋଟିଏ ପ୍ରଶ୍ନ ବର୍ତ୍ତମାନ ମୁଣ୍ଡ ଟେକିଛି ଯେ, ଏହି କ୍ଷତିର ଭରଣା କରିବ କିଏ ?

ସେପଟେ ଆଜି ସକାଳୁ ପ୍ରଧାନମନ୍ତ୍ରୀ ମୋଦି ଯେଉଁଭଳି ଭାବରେ ଗଣମାଧ୍ୟମରେ କୃଷି ଆଇନ ପ୍ରତ୍ୟାହୃତ କରିବା ନେଇ ଘୋଷଣା କରିଲେ, ତାହା ଉପରେ ମଧ୍ୟ ଅନେକଙ୍କ ସନ୍ଦେହ ଘନେଇଛି। ପ୍ରତ୍ୟାହୃତ କରିବାର କାରଣ ଭିନ୍ନ ହୋଇଥାଇପାରେ, କିନ୍ତୁ ନ୍ୟାୟିକ ବ୍ୟବସ୍ଥା ମଧ୍ୟରେ ଆଇନକୁ ପ୍ରତ୍ୟାହୃତ କରାଯାଇଥାଏ । ଆଗକୁ ସଂସଦର ଶୀତ ଅଧିବେସନ ରହିଛି । ଏହି ଅଧିବେସନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଅର୍ଡିନାନ୍ସ ପାସ କରି ଆଇନକୁ ପ୍ରତ୍ୟାହାର କରାଯିବା ନେଇ ଘୋଷଣା କରିପାରିଥାନ୍ତେ । କିନ୍ତୁ ଅଧିବେଶନ ଆରମ୍ଭର ବହୁ ଆଗରୁ ଗଣମାଧ୍ୟମରେ ଯେଉଁଭଳି ଭାବରେ ପ୍ରତ୍ୟାହାର ନେଇ ଘୋଷଣା କଲେ ତାହା ଉପରେ ଅନେକ ସନ୍ଦେହ କରିବା ସହିତ ପ୍ରଶ୍ନ ଉଠାଇଛନ୍ତି।

ସେପଟେ ମୋଦିଙ୍କର ଏହି ନିଷ୍ପତ୍ତି ଉପରେ ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି କି ସସଂଦରେ ଆଇନ ପ୍ରତ୍ୟାହାର ଉପରେ ମୋହର ବାଜିବା ପରେ ହିଁ ଆମେ ଆନ୍ଦୋଳନରୁ ହଟିବୁ। ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ ସିଧାସିଧା କହିଦେଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଅଧିକାଂଶ ମୁଖ୍ୟମନ୍ତ୍ରୀ ମୋଦିଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.