Take a fresh look at your lifestyle.

ଲୋକସେବା ଭବନରେ ବଣଭୋଜି ଡିଲ !

0 682

Get real time updates directly on you device, subscribe now.

ଭୁବନେଶ୍ବର: ଗତ କିଛି ଦିନ ଧରି କୋରାପୁଟରେ ଆନ୍ଧ୍ର ପ୍ରଶାସନର ବଣଭୋଜିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚର୍ଚ୍ଚା ଜୋର ଧରିବା ମଧ୍ୟ ସ୍ବାଭାବିକ। କୋରାପୁଟ ଅଞ୍ଚଳରେ ଯେଉଁଭଳି ଭାବରେ ଓ ଯେଉଁ ସମୟରେ ଆନ୍ଧ୍ର ପ୍ରଶାସନର ବଣଭୋଜି କାର୍ଯ୍ୟକ୍ରମ ହୋଇଥିଲା ଚର୍ଚ୍ଚା ହେବା ସ୍ବାଭାବିକ ଘଟଣା । ତେବେ ଏହି ଚର୍ଚ୍ଚାକୁ ଆହୁରି ମଜଭୁତ କରିଥିଲା ନିକଟରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଘଟଣା । କାରଣ କୋଟିଆ ମାମଲାକୁ ନେଇ ଉଭୟ ରାଜ୍ୟର ପାଣିପାଗ ଯେଉଁଭଳି ଭାବରେ ଉଷ୍ମ ରହିଥିଲା, ମୁଖ୍ୟମନ୍ତ୍ରୀଙ୍କ ବୈଠକ ଏହି ଚର୍ଚ୍ଚାକୁ ଆହୁରି ମଜଭୁତ କରିଛି।

କିନ୍ତୁ ଏହି ଚର୍ଚ୍ଚାର ଉହାଡ଼ରେ ଆଉ ଏକ ପ୍ରମୁଖ ଘଟଣା ଲୁଚି ଯିବାକୁ ବସିଛି, ଯାହା ପରିସ୍ଥିତି ଦେଖିଲେ ସନ୍ଦେହ ଦୃଢିଭୂତ ହୋଇଛି। କୋଟିଆ ଖୋଳପା ମଧ୍ୟରେ ଖଣି ଲୁଟର ଗନ୍ଧ ବାରି ହୋଇ ପଡ଼ୁଥିବା ବେଳେ ଏହାକୁ ବଣଭୋଜିର ରଙ୍ଗରେ ରଙ୍ଗାୟିତ କରାଯାଇଛି। ବଣଭୋଜି ନାଁରେ କୋରାପଟୁର ମାଳି ପର୍ବତ, ଦେଓମାଳି ଓ ଏହାର ନିକଟରେ ଥିବା ଛୋଟ ଛୋଟ ଖଣି ପ୍ରବଣ ପର୍ବତ ଉପରେ ଏକ ପ୍ରକାର ଅନୁଧ୍ୟାନ କରିଯାଇଛନ୍ତି ଆନ୍ଧ୍ର ପ୍ରଶାସନ। ବଣଭୋଜି କରିବାକୁ ଆସିଥିବା ଟିମ ମଧ୍ୟରେ ବିଜୟନଗରମର ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନେ ରହିଥିଲେ। ସେପଟେ ଏନେଇ କେହି ପାଟି ଫିଟାଉନଥିବା ବେଳେ ଏହି ବଣଭୋଜି କାର୍ଯ୍ୟକ୍ରମ ପଛର ମୁଖ୍ୟ ଉଦ୍ଦେଶ୍ୟ ଏକ ପ୍ରକାର ଚପି ଯାଇଛି। ପ୍ରମୁଖ ପ୍ରସଂଗ ସାମ୍ନାକୁ ଆସିବା ପରିବର୍ତ୍ତେ ଏକ ପ୍ରକାର ଉଡ଼ା ଖବରରେ ପରିଣତ ହୋଇଛି ଏହି ଖଣିଲୁଟ ଅଭିସନ୍ଧି।

ଖଣି ବିକ୍ରି ନେଇ ସରକାରଙ୍କ ସ୍ବତନ୍ତ୍ର ନୀତି ରହିଛି। କିନ୍ତୁ ଏହିଠାରୁ ଦୀର୍ଘ ଦିନ ଧରି ଆନ୍ଧ୍ର ଖଣି ନେଉଥିବା ଦେଖିବାକୁ ମିଳେ। କେବଳ ଆନ୍ଧ୍ର ନୁହେଁ, ଅନ୍ୟାନ୍ୟ ରାଜ୍ୟ, ବିଦେଶକୁ ମଧ୍ୟ ରପ୍ତାନୀ ହୋଇଥାଏ। ତେବେ ଏଠାରୁ ଖଣି ଖନନକୁ ସ୍ଥାନୀୟ ଆଦିବାସୀ, ରାଜନୈତିକ ନେତା ପ୍ରମୁଖ ସ୍ଥାନୀୟ ଅଞ୍ଚଳର ଶୋଭାମଣ୍ଡନ କରୁଥିବା ପ୍ରାକୃତିକ ପରିବେଶକୁ ଅକ୍ଷତ ରଖିବା ଉଦ୍ଦେଶ୍ୟରେ ବିରୋଧ କରି ଆସୁଛନ୍ତି। ତେବେ ଇତିହାସ ପୃଷ୍ଠା ଖେଳାଇଲେ ୧୯୩୬ ପୂର୍ବରୁ ଜୟପୁର ଇଷ୍ଟେଟର ଅଂଶ ଥିବା କୋଟିଆକୁ ସେତେବେଳେ ଆନ୍ଧ୍ରକୁ ଦିଆଯାଇଥିଲେ ମଧ୍ୟ ନିଜ ରାଜ୍ୟରେ ସାମିଲ କରିନଥିଲା। କିନ୍ତୁ ପରବର୍ତ୍ତି ସମୟରେ ଏହିଠାରେ ଖଣି ରହିଥିବା ଜାଣିବା ପରେ ସେବେଠାରୁ କୋଟିଆ ଓ ଏହାର ଆଖପାଖ ଅଞ୍ଚଳ ଉପରେ ନଜର ରହିଛି ଆନ୍ଧ୍ରର। ଏହି ଅଞ୍ଚଳରେ ନିଜର କବଜା କରିପାରିଲେ କୋଟିଆ ଓ ଅନ୍ୟାନ୍ୟ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର କରୁଥିବା ନେଇ ବିଭିନ୍ନ ମହଲରେ ଆଲୋଚନା ହୁଏ।

ସେପଟେ ଉଭୟ ମୁଖ୍ୟମନ୍ତ୍ରୀଙ୍କ ବୈଠକର ସ୍ବଳ୍ପ ଦିନ ମଧ୍ୟରେ ଆନ୍ଧ୍ର ପ୍ରଶାସନ ଦେଓମାଳି ଗସ୍ତ କରିଛି। ଆନ୍ଧ୍ର ପ୍ରଶାସନ ସରକାରଙ୍କ ବିନା ଅନୁମତିରେ ଅନ୍ୟ ରାଜ୍ୟକୁ ଗସ୍ତ କରିବା (ଯଦିଓ ବଣଭୋଜୀ କରିବା ପାଇଁ କାହାର ଅନୁମତି ଲୋଡ଼ା ନାହିଁ) ସମ୍ଭବ ନୁହେଁ। ଫଳରେ ବଣଭୋଜିର ଢାଲରେ ଏହି ଅନୁଧ୍ୟାନ କାର୍ଯ୍ୟ କରାଯାଇଥିବା ବେଳେ ଗସ୍ତ ଉପରେ ସନ୍ଦେହକୁ ଦୁର କରାଯିବାର ଯୋଜନା ହୋଇଥିବା ନେଇ ମଧ୍ୟ ଚର୍ଚ୍ଚା ହୁଏ। ତେବେ ଉକ୍ତ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଖଣି ଡିଲ ନେଇ ଆଲୋଚନା ହୋଇଥିବା ନେଇ ଆଲୋଚନା ହେଉଛି। ଏହି ଆଲୋଚନା ପରେ ପ୍ରଶାସନ ଦେଓମାଳି ବଣଭୋଜି ଆସିଥିବା ନେଇ ମଧ୍ୟ ଚର୍ଚ୍ଚା ହୁଏ।

Get real time updates directly on you device, subscribe now.

Leave A Reply

Your email address will not be published.